ତାଳପଦର ରେ ଅସୁରକ୍ଷିତ ଅବସ୍ଥାରେ ପି. ଡି .ଏସ ଚାଉଳ l ଛାତରୁ ଝରୁଛି ପାଣି
ବରଗଡ଼ ଜିଲ୍ଲାର ବିଜେପୁର ଅଧୀନସ୍ଥ ତାଳପଦର ଗ୍ରାମପଞ୍ଚାୟତରେ ଥିବା ପିଡିଏସ ଚାଉଳ ଗୋଦାମଟି ଆଜି ଜର୍ଜରିତ ଅବସ୍ଥାରେ ପଡ଼ିଛି। ଗୋଦାମର ଛାତରୁ ବର୍ଷା ପାଣି ଝରୁଥିବାରୁ ସେଠାରେ ଜମା ହୋଇଥିବା ସରକାରୀ ଚାଉଳ ନଷ୍ଟ ହେବାର ଗଭୀର ଆଶଙ୍କା ସୃଷ୍ଟି ହୋଇଛି। ଏଥିସହିତ ଛାତରେ ଲାଗିଥିବା ଆଡଭେଷ୍ଟର ଗୁଡିକ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି , ଯାହାକୁ ନେଇ ଗ୍ରାମବାସୀ ଚିନ୍ତିତ ଅଛନ୍ତି। କିଛି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଛାତ ମରାମତି କରାଯାଇ ଏଡଭେଷ୍ଟର ଲଗାଯାଇଥିଲା ବୋଲି କୁହାଯାଉଛି। କିନ୍ତୁ ଏବର୍ଷର ବର୍ଷା ଓ ଜୋର୍ଦାର ପବନରେ ସେଗୁଡ଼ିକ ପୁଣି ନଷ୍ଟ ହୋଇଯାଇଛି, ଫଳସ୍ୱରୂପ, ବର୍ଷାର ପାଣି ଗୋଦାମ ଭିତରକୁ ଝରିପଡୁଛି ଏବଂ ଚାଉଳରେ ଆର୍ଦ୍ରତା ବୃଦ୍ଧି ହେବାରେ ଲାଗିଛି। ଏହା ଚାଉଳର ଗୁଣବତ୍ତା ନଷ୍ଟ କରିଦେବ ବୋଲି ଲୋକେ ଆଶଙ୍କା କରୁଛନ୍ତି। ଏହି ପ୍ରସଙ୍ଗରେ ଗ୍ରାମବାସୀଙ୍କ ମତ, "ଆମ ଗରିବଙ୍କ ପାଇଁ ମିଳୁଥିବା ଏହି ଚାଉଳ ଯଦି ପାଣିରେ ଭିଜି ନଷ୍ଟ ହୋଇଯାଏ, ତାହେଲେ ଆମେ କଣ ଖାଇବୁ? ସରକାରୀ ଗୋଦାମରେ ରଖାଯାଇଥିବା ଏହି ଚାଉଳର ସୁରକ୍ଷା ଦେବା ପ୍ରଶାସନର ଦାୟିତ୍ୱ। ଆମେ ଚାହୁଁ ଶୀଘ୍ର ଏହାର ମରାମତି କରାଯାଉ।" ସ୍ଥାନୀୟ ସଚେତନ ନାଗରିକମାନେ ମଧ୍ୟ ଏହି ଅବସ୍ଥା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଜିଲ୍ଲା ପ୍ରଶାସନ ଏବଂ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀଙ୍କୁ ତତକ୍ଷଣାତ୍ ପଦକ୍ଷେପ ନେଇ ଗୋଦାମର ଛାତର ମରାମତି କରାଇବାକୁ ଅନୁରୋଧ କରିଛନ୍ତି। ନଚେତ୍, ଚାଉଳ ନଷ୍ଟ ହେବ ଏବଂ ଗରିବ ଲୋକଙ୍କ ଖାଦ୍ୟ ଯୋଗାଣରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି।
Report - Sushanta Sahu
No comments