Breaking News

ବରଗଡ଼ ହସ୍ପିଟାଲ ରେ ଚୋରି , ଆମ ଆଦମୀ ପାର୍ଟି ର ତଦନ୍ତ ଦାବି

 


ବରଗଡ଼: ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥିତ ଏକ ନୂତନ ଜଟିଳ ରୋଗ ଚିକିତ୍ସା କେନ୍ଦ୍ରରୁ ମୂଲ୍ୟବାନ ଚିକିତ୍ସା ଯନ୍ତ୍ରପାତି ଚୋରି ହୋଇଥିବାର ଆଭାସ ମିଳିବା ପରେ ଏହା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଆମ୍ ଆଦମୀ ପାର୍ଟି ଏହି ଘଟଣାର ତୁରନ୍ତ ତଦନ୍ତ ଦାବି କରିଛି। ଗତ ବର୍ଷ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାବେ ଉଦଘାଟିତ ଏହି କେନ୍ଦ୍ରଟି ପ୍ରାୟ ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଯଦିଓ ଉଦଘାଟନକୁ ବର୍ଷଟିଏ ହେବାକି ଆସୁଛି, ଏହି ଚିକିତ୍ସା କେନ୍ଦ୍ରଟି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଥିରେ ରଖାଯାଇଥିବା ସେଣ୍ଟ୍ରାଲ୍ ଏୟାର କଣ୍ଡିସନିଂ ସିଷ୍ଟମ୍, ଜଳ ଶୁଦ୍ଧିକରଣ ଯନ୍ତ୍ର, ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ଅନ୍ୟାନ୍ୟ ଆଧୁନିକ ଚିକିତ୍ସା ସାମଗ୍ରୀ ଚୋରି ହୋଇଥିବାର ଖବର ମିଳିଛି। ଉଲ୍ଲେଖନୀୟ କଥା ହେଉଛି, ଚିକିତ୍ସାଳୟ ପରିସରରେ ଅନେକ ସୁରକ୍ଷା କର୍ମୀ, ଦୁଇଜଣ ପ୍ରବନ୍ଧକ ଏବଂ ଏକ ପୋଲିସ ଫାଣ୍ଡି ମଧ୍ୟ ଅଛି। ତଥାପି, ଚୋରି ସମ୍ପର୍କରେ କେହି କୌଣସି ସୂଚନା ଦେଇ ପାରୁନାହାନ୍ତି, ଯାହାକି ଗମ୍ଭୀର ପ୍ରଶାସନିକ ତ୍ରୁଟିକୁ ସୂଚିତ କରୁଛି।ଏହି ପରିସ୍ଥିତିରେ, ଆମ୍ ଆଦମୀ ପାର୍ଟିର ଜିଲ୍ଲା ନେତୃବୃନ୍ଦ ଆଜି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଏହି ଘଟଣାର ଯଥାର୍ଥ ତଦନ୍ତ କରାଯିବା ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପକ୍ଷର ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଜିଲ୍ଲା ସଭାନେତ୍ରୀ ମରୀୟମ ବାର୍ଲା, କାର୍ଯ୍ୟକାରିଣୀ ସଦସ୍ୟ ଅସିତ ସାହୁ ଏବଂ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା ଏହି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ନିକଟରେ ଜମା କରିଛନ୍ତି। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ବରଗଡ଼ରେ ଜନଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି।


Report- Sushanta Sahu

No comments