Breaking News

ତାଳପଦରରେ ମାଗଣା ସ୍ୱାସ୍ଥ୍ୟ ଶିବିର: ଶହ ଶହ ଲୋକ ଉପକୃତ



ତାଳପଦର: ବରଗଡ଼ ଜିଲ୍ଲାର ତାଳପଦର ଠାରେ ଆଜି ଗ୍ରାମବାସୀଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ବରଗଡ଼ ବିକାଶ ହସ୍ପିଟାଲ ଏବଂ ତାଳପଦର ଗ୍ରାମବାସୀଙ୍କ ମିଳିତ ଆୟୋଜନ ରେ  ଅନୁଷ୍ଠିତ ହୋଇଥିବା ଏହି ଶିବିରଟି ଅଞ୍ଚଳବାସୀଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସେବା ସାବ୍ୟସ୍ତ ହୋଇଛି। ଏହି ଶିବିରରେ ଚକ୍ଷୁ, ଫିଜିଓଥେରାପି, ଫୁସଫୁସ ରୋଗ, ସାଧାରଣ ଚିକିତ୍ସା, ଦନ୍ତ ରୋଗ ଏବଂ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦାନ କରିଥିଲେ। ଡାକ୍ତର ବୀରେନ୍ଦ୍ର ନନ୍ଦ, ଡାକ୍ତର ମୁକେଶ କୁମାର ଦ୍ୱିବେଦୀ, ଡାକ୍ତର ୟଶମନ୍ତ, ଡାକ୍ତର ଗଣେଶ ଯାଦବ, ଡାକ୍ତର ହର୍ଷା ଅଗ୍ରୱାଲ, ଡାକ୍ତର ଅନ୍ନପୂର୍ଣ୍ଣା ମିଶ୍ର ଏବଂ ଡାକ୍ତର ଅଜିତ ବାରିକ ଆଦି ରୋଗୀଙ୍କୁ ମାଗଣା ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିଥିଲେ। ଶିବିରରେ ଶହ ଶହ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ଅନେକଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା। ଚକ୍ଷୁ ସମସ୍ୟା, ସର୍ଦ୍ଦି-କାଶ, ଶ୍ୱାସକଷ୍ଟ, ରକ୍ତଚାପ, ମଧୁମେହ, ଦାନ୍ତ ରୋଗ ଆଦି ସାଧାରଣ ଅସୁସ୍ଥତା ପାଇଁ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା। ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଗ୍ରାମବାସୀମାନେ ଏପ୍ରକାର ଶିବିର ଆୟୋଜନକୁ ସ୍ୱାଗତ କରି କହିଛନ୍ତି ଯେ ଏହିଭଳି ପ୍ରାନ୍ତୀୟ ଅଞ୍ଚଳରେ ବିଶେଷଜ୍ଞ ଡାକ୍ତରଙ୍କ ସେବା ପାଇବା ଅତ୍ୟନ୍ତ ଦୁର୍ଲଭ। ମାଗଣା ଚିକିତ୍ସା ସେବା ପାଇ ଅନେକ ଲୋକେ ଲାଭାନ୍ୱିତ ହୋଇଛନ୍ତି। ଏହି ଶିବିରକୁ ସଫଳ କରିବାରେ ସ୍ଥାନୀୟ ସମିତି, ସରପଞ୍ଚ, ପଞ୍ଚାୟତ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଯୁବମଣ୍ଡଳ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଏହି ଶିବିରଦ୍ୱାରା ପାଖାପାଖି ଚାରିରୁ ପାଞ୍ଚ ଶହ ଲୋକ ଉପକୃତ ହୋଇଥିବା କୁହାଯାଇଛି।


ରିପୋର୍ଟ - ସୁଶାନ୍ତ ସାହୁ

No comments