ବରଗଡ଼ରେ ସମାଜସେବୀ ବିକାଶ ଅଗ୍ରୱାଲଙ୍କୁ ମରଣାନ୍ତକ ଆକ୍ରମଣ
ବରଗଡ଼ର ଜଣାଶୁଣା ସମାଜସେବୀ ବିକାଶ ଅଗ୍ରୱାଲଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବାର ଆଭିଯୋଗ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଟାଉନ ଥାନାରେ ଏତଲା ଦାଖଲ କରାଯାଇଛି। ଅନ୍ୟ ପକ୍ଷରେ, ଏହି ଆକ୍ରମଣକୁ ନେଇ ସମାଜର ବିଭିନ୍ନ ସ୍ତରରେ ତୀବ୍ର ପ୍ରତିକ୍ରିୟା ମିଳିଛି, ଯେଉଁଥିରେ ଘଟଣାର ନିନ୍ଦା କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଘଟଣାର ବିବରଣୀ ଦେଉଥିବା ସମାଜସେବୀ ବିକାଶ ଅଗ୍ରୱାଲ କହିଛନ୍ତି ଯେ, ଗତକାଲି ଦିନ ୧୨ଟା ୩୦ ମିନିଟ୍ ସମୟରେ ତାଙ୍କର ଦୋକାନରେ ଥିବା ବେଳେ ପ୍ରାୟ ୨୦ରୁ ୨୫ ଜଣ ବ୍ୟକ୍ତି ଏକତ୍ରିତ ହୋଇ ତାଙ୍କୁ ଅଶାଳୀନ ଭାଷାରେ ଗାଳି ଦେଇ ଅଚାନକ ଆକ୍ରମଣ କରିଥିଲେ। ଶ୍ରୀ ଅଗ୍ରୱାଲଙ୍କ ମତରେ, ଗତ ଦୁଇ ଦିନଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିବା ଏକ ଚୋରୀ ଘଟଣା ସମ୍ପର୍କିତ ଖବର ବିଭିନ୍ନ ସମ୍ବାଦପତ୍ର ଓ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିବାରୁ, ସେହି ବିଷୟକୁ ନେଇ ଏପରି ଆକ୍ରମଣ ହୋଇଥାଇ ପାରେ। ଏହି ଘଟଣା ଉପରେ ଗୁରୁବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସାମାଜିକ ସଂଗଠନଙ୍କ ପ୍ରତିନିଧିମାନେ ନିଜ ମତାମତ ରଖିଥିଲେ। ସଂକଳ୍ପ ପରିବାର ସଂଗଠନର ସମ୍ପାଦକ ଜି. ରମେଶ କହିଛନ୍ତି ଯେ ସମାଜସେବାର କ୍ଷେତ୍ରରେ ଅତୁଳନୀୟ ଅବଦାନ ରଖୁଥିବା ବିକାଶଙ୍କ ଉପରେ ଏଭଳି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ନିଷ୍ଠା ପରିବାର ସଂଗଠନର ସଭାପତି ଅଶ୍ୱିନୀ ତ୍ରିପାଠୀ କୋଭିଡ୍-୧୯ ମହାମାରୀ ସମୟରେ ବିକାଶ ଅଗ୍ରୱାଲ ଏବଂ ସଂକଳ୍ପ ପରିବାରଦ୍ୱାରା କରାଯାଇଥିବା ସେବାକାର୍ଯ୍ୟକୁ ସ୍ମରଣ କରି ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପଶ୍ଚିମ ଓଡିଶା ୟୁଥ ମଞ୍ଚର ଆଲୋକ ପ୍ରଧାନ ମଧ୍ୟ ଏହି ଘଟଣାକୁ ନିନ୍ଦା କରି କହିଛନ୍ତି ଯେ ଏପରି ଘଟଣା ସମାଜସେବକମାନଙ୍କୁ ନିରୁତ୍ସାହିତ କରିବ। ଆମ୍ବେଦକର ୟୁଥ ସଂଘର ଅବିନାଶ ବାଗ୍ ମଧ୍ୟ ଘଟଣାଟିକୁ ନିନ୍ଦନୀୟ ବୋଲି ମତ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅନ୍ୟାନ୍ୟ ସାମାଜିକ ସଂଗଠନଗୁଡିକ ମଧ୍ୟ ଏହି ଘଟଣାର ନିନ୍ଦା କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି।
Report- Sushanta Sahu
No comments