Breaking News

ବିଜେପୁରରେ ଖଣ୍ଡାଧୂଆ ସହ ଆରମ୍ଭ ହେଲା ବିଜେପୁର ଦୁର୍ଗାପୁଜା




ବରଗଡ଼ ଜିଲ୍ଲାର ବିଜେପୁର ସହରରେ ଏବର୍ଷର ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ ମହାଳୟା ଅମାବାସ୍ୟାରେ ପାରମ୍ପରିକ ଖଣ୍ଡାଧୂଆ କାର୍ଯ୍ୟକ୍ରମ ସହିତ ଶୁଭାରମ୍ଭ ହୋଇଛି। ସ୍ଥାନୀୟ ବସଷ୍ଟାଣ୍ଡ ଦୁର୍ଗାମଣ୍ଡପ ଠାରୁ ଦୁଲଦୁଲି ବାଜା, ଶଙ୍ଖ ଓ ଘଣ୍ଟ ବାଦ୍ୟର ଧ୍ୱନିରେ ଯାତ୍ରାର ଆରମ୍ଭ ହୋଇଥିଲା। ରାଜ ପୁରୋହିତ କିଶୋର ଚନ୍ଦ୍ର ପୂଜାରୀଙ୍କ ତତ୍ୱାବଧାନରେ ପୂଜା ପରମ୍ପରା ଅନୁଯାୟୀ ପଟୁଆରେ ସ୍ଥାନୀୟ ବିଜେପୁର ଜମିଦାର ଓ ବର୍ତ୍ତମାନର ବିଧାୟକ ସନତ କୁମାର ଗଡତୀୟାଙ୍କ ବାସଗୃହରେ ମଙ୍ଗଳାର୍ପଣ ପରେ ଯାତ୍ରା ଆଗେଇଥିଲା। ପରମ୍ପରା ଅନୁସାରେ ଦାମୋଦର କଣ୍ଟାରୁ ପୂର୍ଣ୍ଣ ଜଳକଳସ ଆଣି ପୂଜା ସ୍ଥାନରେ ସ୍ଥାପନ କରାଯାଇଥିଲା। ଦୁର୍ଗାପୂଜା କମିଟି ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ ଆମ ପ୍ରତିନିଧିଙ୍କୁ କହିଥିଲେ, “ଆଜିର ଖଣ୍ଡାଧୂଆ ପର୍ବ ଆନନ୍ଦ ଓ ଉଲ୍ଲାସରେ ସମାପ୍ତ ହୋଇଛି। ଆସନ୍ତା ୧୦ ଦିନ ଧରି ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।” ସେ କହିଥିଲେ, କାଲିରୁ ପୂଜାର୍ଚ୍ଚନା ଓ ଅଖଣ୍ଡ ଦୀପ ସ୍ଥାପନ ହେବା ସହିତ ସଂଧ୍ୟାରେ ଭକ୍ତମାନଙ୍କ ପାଇଁ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତିଦିନ ସାନ୍ଧ୍ୟାବେଳେ ଭଜନ, ନୃତ୍ୟ, ପାରାୟଣ, ପ୍ରବଚନ, ରାବଣ ରାଜ, ମହିଳା ଦଣ୍ଡ ନୃତ୍ୟ, ସାବିତ୍ରୀ ଗଣନାଟ୍ୟ, ମେଣ୍ଢା ଲଢେଇ, ରାମଲୀଳା ପରି କାର୍ଯ୍ୟକ୍ରମ ହେବ। ଏହି ସାର୍ବଜନୀନ ଦୁର୍ଗାପୂଜା ୭୫ ବର୍ଷରୁ ଅଧିକ ପୁରୁଣା ପରମ୍ପରା। ପୂଜାକୁ ଆଗେଇ ନେବା ପାଇଁ ସାର୍ବଜନୀନ କମିଟି ଗଠିତ ହୋଇଛି। କମିଟିରେ ସଭାପତି ହେଲେ ସନତ କୁମାର ଗଡତୀୟା, ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଗଙ୍ଗାଧର ପଧାନ ଓ କିଶୋର ଚନ୍ଦ୍ର ଷଡଙ୍ଗୀ। କୋଷାଧ୍ୟକ୍ଷ ପଧାନ କହିଛନ୍ତି, “ବିଜେପୁର ସହରବାସୀଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗରେ ଏହି ପୂଜା ଦିନକୁ ଦିନ ଗୌରବମୟ ହୋଇଯାଇଛି।” ଧାର୍ମିକ ଆସ୍ଥା ଓ ସାଂସ୍କୃତିକ ଐତିହ୍ୟକୁ ଏକତ୍ର କରିଥିବା ଏହି ପାରମ୍ପରିକ ଉତ୍ସବକୁ ସ୍ଥାନୀୟ ଲୋକଙ୍କ ଉତ୍ସାହ, ସହଭାଗୀତା ଓ ଭକ୍ତିଭାବ ପୂର୍ଣ୍ଣ କରିଦେଇଛି।


Report- Sushanta Sahu

No comments