ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଗତକାଲି ଗାନ୍ଧୀଛକରେ ଏକତ୍ରିତ ହୋଇ ଦୁଇ ହଜାର ରୁ ଅଧିକ ଚାଷୀ ରାଲି କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଲେ। ଚାଷୀମାନଙ୍କ ଅଭିଯୋଗ, ଚଳିତ ବର୍ଷରେ ଧାନ ବିକ୍ରୟ ପଞ୍ଜିକରଣ ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାଗଜପତ୍ର ସୋସାଇଟିକୁ ଦେଇଥିଲେ, କିନ୍ତୁ ସରଭର ଡାଉନ, ନେଟ ସ୍ଲୋ ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ପ୍ରାୟ ପାଞ୍ଚହଜାରରୁ ଅଧିକ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଗଲେ। ଏହିବର୍ଷ ପାଇଁ ପ୍ରଥମେ ଜୁଲାଇ 18 ରୁ ଅଗଷ୍ଟ 19 ପର୍ଯ୍ୟନ୍ତ ସମୟ ଧର୍ଯ୍ୟ କରାଯାଇଥିଲା। ପରେ ଚାଷୀଙ୍କ ଆପତ୍ତି ଦୃଷ୍ଟିରେ, ମୃତ୍ୟୁବରଣ କରିଥିବା ରେକର୍ଡଧାରୀଙ୍କ ସ୍ଥାନରେ ସ୍ୱଘୋଷଣାନାମାରେ ପଞ୍ଜିକରଣକୁ ଅନୁମତି ଦିଆଗଲା। ଏହା ସହ ସମୟ 25 ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଯାଇ 30 ଅଗଷ୍ଟ ପର୍ଯ୍ୟନ୍ତ କମ୍ପ୍ୟୁଟରିକରଣ କରିବାକୁ ସୁବିଧା ଘୋଷଣା କରାଗଲା। କିନ୍ତୁ 25 ଅଗଷ୍ଟ ମଧ୍ୟରାତିରୁ ସାଇଟ ବନ୍ଦ ହୋଇଥିବାରୁ ହଜାରହଜାର ଚାଷୀଙ୍କ ଆବେଦନ ପ୍ରକ୍ରିୟାରେ ସମ୍ଭବ ହେଲା ନାହିଁ। ଚାଷୀମାନଙ୍କ କହିବା, ସେମାନେ ବାରମ୍ବାର ବିଧାୟକ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ସାର୍ବଜନିକ ଭାବେ ଘୋଷଣା କରିଥିଲେ ଯେ ସମସ୍ତ ଯୋଗ୍ୟ ଚାଷୀଙ୍କ ପଞ୍ଜିକରଣ ହେବ। କିନ୍ତୁ ସେଥିପାଇଁ ସ୍ପଷ୍ଟ ତାରିଖ ନ ଦିଆଯାଇଥିବାରୁ ଚାଷୀମାନେ ତୀବ୍ର ଅସନ୍ତୋଷରେ ପଡ଼ିଛନ୍ତି। ଧାରଣା ସ୍ଥଳରେ କୃଷକ ନେତା ରମେଶ ମହାପାତ୍ର, ସୁଦାମ ପାତ୍ର, ତପନ ମିଶ୍ର, କାରଣ ସାହୁ, ବିଜୟ ଭୋଇ, ବୃନ୍ଦାବନ ସାହୁ, ନିରଞ୍ଜନ ପଧାନ, ସୁରେଶ କର୍ଣ୍ଣ, ଟିକେଲାଲ ମିଶ୍ର, ଆଶୁତୋଷ ଜମାଦାର, ଶୁଭମ ପଧାନ, ରବିଶଙ୍କର ପଧାନ, ଦଶରଥ ସାହୁ, ସୁରେଶ ନିକେଣ୍ଟି, ବାବ୍ରୁ ସାହୁ, ବିଶ୍ୱନାଥ ନାୟକ ଓ ସୁଶୀଳାଲ ମହଲା ଉତ୍ସାହବର୍ଦ୍ଧକ ଉଦ୍ବୋଧନ ଦେଲେ। ସେମାନଙ୍କ ସ୍ପଷ୍ଟ ସଚେତନୀ – ସାତ ଦିନ ମଧ୍ୟରେ ପଞ୍ଜିକରଣ ପୁନରାରମ୍ଭ ନହେଲେ, ଚାଷୀମାନେ ବ୍ୟାପକ ଆନ୍ଦୋଳନରେ ବାଧ୍ୟ ହେବେ। ପରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଆସି ଚାଷୀମାନଙ୍କୁ ଆଶ୍ବାସନା ଦେଇ ଦାବିପତ୍ର ଗ୍ରହଣ କରିଥିଲେ। ଏଥିରେ 25ଟି ଆବେଦନ ଫର୍ମ ସହିତ ଚାଷୀମାନେ ସରକାରଙ୍କୁ ତୁରନ୍ତ ତାରିଖ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଚାଷୀମାନଙ୍କ କହିବା ଅନୁସାରେ ସେମାନଙ୍କର, ପଞ୍ଜିକରଣ ହେଲାନି, ତେବେ ସେମାନଙ୍କର ଧାନ ବିକ୍ରି, ସରକାରୀ 800 ଟଙ୍କା ବୋନସ, କିମ୍ବା ଏମଏସପି ରୁ ମଧ୍ୟ ବଞ୍ଚିତ ହେବ। ଏହାର ପ୍ରଭାବରେ ଘରୋଇ ଖର୍ଚ୍ଚ ଓ ବ୍ୟାଙ୍କ ଋଣ ପରିଶୋଧରେ ଭାରି ସମସ୍ୟା ସୃଷ୍ଟି ହେବ। ଆଜିର ଆନ୍ଦୋଳନରେ ସୋସାଇଟିରୁ ଆସିଥିବା ଅନେକ ଚାଷୀ ସ୍ପଷ୍ଟ କରିଛନ୍ତି ଯେ ଯଦି ସରକାର ତୁରନ୍ତ ପ୍ରୟୋଜନୀୟ ପଦକ୍ଷେପ ନେବେ ନାହିଁ, ଆସନ୍ତା ଶୁକ୍ରବାର ସେମାନେ ବିଭିନ୍ନ ରାସ୍ତାରେ ରାସ୍ତା ରୋକ ଆନ୍ଦୋଳନ କରିବେ।
Reported By- Sushanta Sahu
No comments:
Post a Comment