ବିଜେପୁର ବ୍ଲକର ତାଳପଦର ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ପୁଣିଥରେ ଗ୍ରାହକ ହଇରାଣ ହେବାର ଅଭିଯୋଗ ଉଠିଛି। ସ୍ଥାନୀୟ ଗ୍ରାହକମାନଙ୍କ କଥା ଅନୁସାରେ, ବ୍ୟାଙ୍କରେ ଟଙ୍କା ଥିଲେ ମଧ୍ୟ ନିଜ ପଇସା ଉଠାଇବାକୁ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସିନୀ ଶ୍ରୀମତୀ ମୋହିନୀ ସାହୁ ସେହି ଦିନ ନିଜ ଖାତାରୁ ପଇସା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ କହିଥିଲେ – “ଚେକ ବୁକ୍ ନଥିବାରୁ ଟଙ୍କା ଦିଆଯାଇପାରିବନାହିଁ”। ଏହାପରେ ସେ ସମସ୍ୟାର ସମ୍ମୁଖୀନ ହେଇଥିଲେ। ସ୍ଥାନୀୟମାନଙ୍କ ଅଭିଯୋଗ, ଗ୍ରାହକଙ୍କ ନିଜ ପଇସାକୁ ଚେକ ବୁକ୍ ଭଳି ତର୍କ ସହିତ ରୋକିବା ପ୍ରାୟ: ଅନ୍ୟାୟ। ଏହା ପ୍ରଥମ ଘଟଣା ନୁହେଁ। କିଛିଦିନ ପୂର୍ବରୁ ଏହି ବ୍ୟାଙ୍କରେ ନେଟୱର୍କ ଲାଇନ ସମସ୍ୟା ହେତୁ ଟଙ୍କା ଲେନଦେନ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ସେତେବେଳେ ସଚେତନ ଯୁବକମାନେ ବ୍ୟାଙ୍କକୁ ଯାଇ କାରଣ ଜାଣିଥିଲେ। ବ୍ୟାଙ୍କ ପକ୍ଷରୁ “ଯାନ୍ତ୍ରିକ ସମସ୍ୟା, ଶିଘ୍ର ସମାଧାନ ହେବ” ବୋଲି ଆଶ୍ୱାସନ ଦିଆଯାଇଥିଲା। କିନ୍ତୁ ଏବେ ପୁଣିଥରେ ସେଇ ଅବ୍ୟବସ୍ଥା ସାମ୍ନାକୁ ଆସିଛି।
ଶାଖା ପରିଚାଳକ ଦିବ୍ୟ ମହାପାତ୍ର ସମ୍ପର୍କରେ କହିଛନ୍ତି – “ଗ୍ରାହକଙ୍କ ନାମରେ ଚେକ ବୁକ୍ ପାଇଁ ଆବେଦନ ହୋଇଯାଇଛି, କିନ୍ତୁ ତାହା ଏପର୍ଯ୍ୟନ୍ତ ଆସିନାହିଁ। ମେଲ୍ ହୋଇଯାଇଛି, ଚେକ ବୁକ୍ ଆସିଲେ ଟଙ୍କା ଦିଆଯିବ।” ତଥାପି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରୁଛନ୍ତି – “ଯଦି ଚେକ ବୁକ୍ ନଥିଲା, ତାହାଲେ କାହିଁକି ଗ୍ରାହକଙ୍କ ନିଜ ପଇସା ବନ୍ଦ କରାଯିବ? ବିଭିନ୍ନ ଅନ୍ୟ ବ୍ୟାଙ୍କରେ ସାଧାରଣ withdrawal form ବା slip ରେ ଟଙ୍କା ଦିଆଯାଏ। କିନ୍ତୁ ଏଠାରେ ଗ୍ରାହକଙ୍କୁ ଅନାବଶ୍ୟକ ବାଧା ସୃଷ୍ଟି କରାଯାଉଛି।” ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସ୍ଥାନୀୟମାନେ ସ୍ପଷ୍ଟ ସତର୍କବାଣୀ ଦେଇଛନ୍ତି – ଯଦି ଏଭଳି ଅନ୍ୟାୟ ଓ ଅବ୍ୟବସ୍ଥା ଚାଲିଥାଏ, ସେମାନେ ବ୍ୟାଙ୍କ ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ। ଗ୍ରାହକମାନଙ୍କ ଆବଶ୍ୟକୀୟ ସେବାକୁ ସମୟରେ ଯଦି ଦିଆଯାଇନଥାଏ, ତେବେ ବ୍ୟାଙ୍କ ପ୍ରତି ସାଧାରଣ ଜନତାର ବିଶ୍ୱାସ ହ୍ରାସ ପାଇବା ସ୍ବାଭାବିକ। ସେଥିପାଇଁ ସ୍ଥାନୀୟମାନେ ଆଶା କରୁଛନ୍ତି ଯେ, ଉଚ୍ଚ ସ୍ତରରେ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଶିଘ୍ର ସମାଧାନ କରାଯିବ।
Reported by - Sushanta Sahu
No comments:
Post a Comment