ସୋହେଲାକୁ ନୂତନ NAC ଘୋଷଣା –ଅଞ୍ଚଳରେ ଖୁସିର ଲହର - Talpadar TV

Breaking

Home Top Ad

Post Top Ad

Monday, September 1, 2025

ସୋହେଲାକୁ ନୂତନ NAC ଘୋଷଣା –ଅଞ୍ଚଳରେ ଖୁସିର ଲହର

 

ସୋହେଲା:- ରବିବାର ସୋହେଲାର ନାଗରିକମାନଙ୍କ ପାଇଁ ଐତିହାସିକ ଦିନ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋହେଲାକୁ ନୂତନ NAC (ନୋଟିଫାଇଡ ଏରିଆ କାଉନସିଲ୍) ଭାବେ ଘୋଷଣା କରିଥିବା ସୂଚନା ପ୍ରସାରିତ ହେବା ପରେ, ସୋହେଲାରେ ଉଲ୍ଲାସର ଲହରି ଦେଖିବାକୁ ମିଳିଥିଲା I ସ୍ଥାନୀୟ ଯୁବମାନେ ବିଭିନ୍ନ ଛକରେ ବାଣ ଫୁଟାଇଥିଲେ ଏବଂ ଚାରିଆଡେ ଖୁସିର ଲହରୀ ଖେଳିଯାଇଥିଲା। ଦୀର୍ଘଦିନ ଧରି ସୋହେଲାକୁ NAC ମାନ୍ୟତା ମିଳିବା ପାଇଁ ଅଞ୍ଚଳବାସୀଙ୍କର ଦାବି ରହିଆସୁଥିଲା।ପରିଶେଷରେ, ବିଜେପି କ୍ଷମତାରେ ଆସିବା ପରେ ସ୍ଥାନୀୟ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କର ଅବିରତ ପ୍ରଚେଷ୍ଟା ଫଳରେ ଏହା ସମ୍ଭବ ହୋଇଛି। ସନ୍ଧ୍ୟାବେଳେ ବିଧାୟକଙ୍କ ସୋହେଲା ପ୍ରବେଶ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଭବ୍ୟ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ଗୌରୀଦେବୀ ଟ୍ରଷ୍ଟ କାର୍ଯ୍ୟାଳୟରେ ଆୟୋଜିତ ସମ୍ବଦ୍ଧନା ସମାରୋହରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଓ ଗୌରିଆ ଶ୍ରୀମନ୍ତ ଗୋପାଳ ନାୟକ ବିଧାୟକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ। 

ତାଙ୍କ ବକ୍ତବ୍ୟରେ ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଥିଲେ – “ସୋହେଲାବାସୀଙ୍କ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂରଣ ହୋଇଛି। ଏହି ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୁଁ ଆଭାର ବ୍ୟକ୍ତ କରୁଛି। ଓଡ଼ିଶାର ପ୍ରବେଶଦ୍ବାର ଭାବେ ପରିଚିତ ସୋହେଲାର ବିକାଶ ହେଲେ, ସେହିଥିରୁ ସମଗ୍ର ରାଜ୍ୟରେ ବିକାଶର ପଥ ପ୍ରସସ୍ତ ହେବ। ବିକଶିତ ସୋହେଲା ହିଁ ବିକଶିତ ଓଡ଼ିଶାର ଆଧାର।”

ସମାରୋହରେ ପୂଜା କମିଟିର ସଭାପତି, ସମ୍ପାଦକ, ଉପସଭାପତି, ବିଜେପି ମଣ୍ଡଳ ସଭାପତି ଓ ଅନେକ ସମ୍ମାନିତ ବ୍ୟକ୍ତିବିଶେଷ ସହିତ ସୋହେଲାର ସହସ୍ରାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହାପରେ ବିଧାୟକଙ୍କୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ବିଭିନ୍ନ ସ୍ଥାନରେ ଦୀପଜ୍ୱାଳନ, ପଦଧୌତ ଓ ପୁଷ୍ପବର୍ଷାରେ ଅଞ୍ଚଳବାସୀ ତାଙ୍କୁ ସମ୍ବଦ୍ଧିତ କରିଥିଲେ। ସହରର ବିଭିନ୍ନ ସାମାଜିକ ସଂଗଠନମାନେ ମଧ୍ୟ ବିଧାୟକଙ୍କୁ ସମ୍ବଦ୍ଧନା ପ୍ରଦାନ କରିଥିଲେ। ସୋହେଲାର NAC ଘୋଷଣା କେବଳ ଗୋଟିଏ ପ୍ରଶାସନିକ ପରିବର୍ତ୍ତନ ନୁହେଁ, ବରଂ ସେଥିବାସୀଙ୍କ ପାଇଁ ଦୀର୍ଘ ଅପେକ୍ଷା ପୂର୍ତ୍ତିର ଦିନ। ଏହି ପଦକ୍ଷେପ ସୋହେଲାର ସୁନିୟୋଜିତ ବିକାଶ ପାଇଁ ଏକ ନୂଆ ଅଧ୍ୟାୟ ଖୋଲିବାରେ ସାହାଯ୍ୟ କରିବ ବୋଲି ସମସ୍ତଙ୍କର ବିଶ୍ୱାସ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ NAC ଘୋଷଣାରେ ଖୁସିର ଲହରି
ସ୍ଥାନୀୟ ସ୍ୱୟଂଶାସନ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର 16ଟି ନୂଆ NAC (ନୋଟିଫାଇଡ ଏରିଆ କାଉନସିଲ୍) ଘୋଷଣା କରିଥିଲେ। ସେଥି ସହ 7ଟି NACକୁ ମ୍ୟୁନିସିପାଲିଟି ଭାବେ ଉନ୍ନତ କରାଯାଇଛି।

ନୂଆ NAC ତାଲିକା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିମ୍ନଲିଖିତ ସ୍ଥାନଗୁଡ଼ିକ NAC ଭାବେ ମାନ୍ୟତା ପାଇଛି –
ବଲାଙ୍ଗିର : ଲୋଇସିଙ୍ଘା
ବରଗଡ଼ : ସୋହେଲା
କଟକ : ବଡମ୍ବା, ନରସିଂହପୁର, ସାଲେପୁର
ଢେଙ୍କାନାଳ : ଗୋଣ୍ଡିଆ
ଗଞ୍ଜାମ : ଜଗନ୍ନାଥପ୍ରସାଦ, ପାତ୍ରପୁର
ଯାଜପୁର : ଚନ୍ଦିଖୋଲ
କଳାହାଣ୍ଡି : ନର୍ଲା, ଜୟପାଟଣା 
ଖୋର୍ଦ୍ଧା : ଟାଙ୍ଗି
କୋରାପୁଟ : ବୋରିଗୁମ୍ମା
ମୟୂରଭଞ୍ଜ : କପ୍ତିପଦା, ଯଶିପୁର, ରସଗୋବିନ୍ଦପୁର

ମ୍ୟୁନିସିପାଲିଟିକୁ ଉନ୍ନତ NAC

ମୟୂରଭଞ୍ଜ : କରଞ୍ଜିଆ
ବୌଧ : ବୌଧ
ଗଞ୍ଜାମ : ଭଞ୍ଜନଗର, ଅସ୍କା, ଛତ୍ରପୁର, କବିସୂର୍ଯ୍ୟନଗର, ପୋଲସରା
ଏହା ସହିତ ପୁରୀକୁ ମ୍ୟୁନିସିପାଲିଟିରୁ ମ୍ୟୁନିସିପାଲ କର୍ପୋରେସନ୍ ଭାବେ ଘୋଷଣା କରାଯାଇଛି।

ଗତକାଲିର ଏହି ଘୋଷଣା ଓଡ଼ିଶାର ନାଗରିକ ସଂଗଠନକୁ ସୁଦୃଢ଼ କରିବା ସହିତ ସହରଗୁଡ଼ିକର ନିୟୋଜିତ ବିକାଶରେ ନୂତନ ମାର୍ଗ ଖୋଲିଛି। ସୋହେଲା ସହ 16ଟି ନୂଆ NAC ଓ 7ଟି ନୂତନ ମ୍ୟୁନିସିପାଲିଟି ରାଜ୍ୟର ସହରଗୁଡ଼ିକୁ ଆଧୁନିକ ସୁବିଧା ଯୋଗାଇବାର  ଆଶାକୁ ବଳୀୟାନ କରିଛି।

No comments:

Post a Comment

Post Bottom Ad

Pages