ବିଜେପୁର: ବିଜେପୁର ବସଷ୍ଟାଣ୍ଡ ସମ୍ମୁଖରେ ଅବସ୍ଥିତ ବିଦେଶୀ ମଦ ଦୋକାନ ସମ୍ପ୍ରତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇପଡିଛି। ପ୍ରତିଦିନ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସାଧାରଣ ଯାତ୍ରୀ ଓ ମହିଳାମାନେ ଏହି ପଥଦେଇ ବସଷ୍ଟାଣ୍ଡକୁ ଯାତାୟାତ କରୁଥିବା ବେଳେ ସହର ମଧ୍ୟରେ ଏହାର ଅବସ୍ଥିତି ଥିବାରୁ ସହରବାସୀ ମଧ୍ୟ ବିଭିନ୍ନ ପ୍ରକାରର ଅସୁବିଧାରେ ପଡୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବସଷ୍ଟାଣ୍ଡ ପରିସରରେ ବେଳେ ବେଳେ ମଦ୍ୟପାନ କରିଥିବା ବ୍ୟକ୍ତିଙ୍କ ଅନାଚାର କାଣ୍ଡ ସାଧାରଣ ଲୋକଙ୍କ ନିତ୍ୟଜୀବନକୁ ପ୍ରଭାବିତ କରୁଛି।ବିଶେଷକରି, ସନ୍ଧ୍ୟା ସମୟରେ ଏହି ଅଞ୍ଚଳରେ ନିରାପତ୍ତା ଭାବନାର ଅଭାବ ସୃଷ୍ଟି ହେଉଛି। ସଚେତନ ନାଗରିକମାନେ ବାରମ୍ବାର ପ୍ରଶାସନଙ୍କୁ ଅଭିଯୋଗ କରିଥିବା ସହିତ, ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଦାବି ଜୋରଦାର କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ ମଧ୍ୟ ସମର୍ଥନ କରି, ଲୋକଙ୍କ ଚିନ୍ତାକୁ ଯଥାର୍ଥ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, “ଲୋକଙ୍କ ସୁରକ୍ଷା ଓ ସାମାଜିକ ଶୃଙ୍ଖଳାକୁ ପ୍ରଥମ ପ୍ରାଥମିକତା ଦିଆଯିବ। ଆମେ ପ୍ରଥମେ ଅବକାରୀ ବିଭାଗ ସହ ଏହାକୁ ନେଇ କଥା ବାର୍ତ୍ତା କରିଛୁ। ଶୀଘ୍ର ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି। ସ୍ଥାନୀୟମାନେ କହିଛନ୍ତି, ବସଷ୍ଟାଣ୍ଡ ପରିସର ସାର୍ବଜନୀନ ଯାତାୟାତର ମୁଖ୍ୟ କେନ୍ଦ୍ର ତେଣୁ ସେଠାରେ ଏପରି ପ୍ରକାରର ଦୋକାନ ରହିବା ଉଚ୍ଚିତ୍ ନୁହେଁ। ଏହାର ସ୍ଥାନାନ୍ତରଣ ହେଲେ ଲୋକଙ୍କ ଚିନ୍ତାର ଶେଷ ହେବା ସହିତ ସାଧାରଣ ଲୋକଙ୍କ ନିରାପତ୍ତା ମଧ୍ୟ ସୁନିଶ୍ଚିତ ହେବ।
ରିପୋର୍ଟ - ସୁଶାନ୍ତ ସାହୁ
No comments:
Post a Comment