ବରଗଡ଼, 14 ସେପ୍ଟେମ୍ବର: ବରଗଡ଼ ସହରରେ ବର୍ଷସାରା ଟ୍ରାଫିକ ସମସ୍ୟା ଜନିତ ଅସୁବିଧାରେ ପଡୁଥିବା ସହରବାସୀଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ସହରର ଭଟଲି ଛକରେ 26 କୋଟି ଟଙ୍କା ବ୍ୟୟରେ 700 ମିଟର ଲମ୍ବା ଫ୍ଲାଇଓଭର ବ୍ରିଜ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା ଯାହା ଫଳରେ ବରଗଡ଼ ବାସୀଙ୍କ ବହୁ ଦିନର ଆଶା ସଫଳ ହୋଇଛି I ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡଙ୍ଗୀ। ସେ ସୁଚନା ଦେଇ କହିଥିଲେ, “ସହରର ଯାନଚଳାଚଳରେ ଏହି ବ୍ରିଜ ଏକ ନୂଆ ପରିବର୍ତ୍ତନ ଆଣିବ। ବିଶେଷକରି ଭାରୀ ଯାନବାହାନମାନେ ମୁଖ୍ୟ ସଡକରେ ଚାଲିବାକୁ ବାଧ୍ୟ ହେବେ ନାହିଁ, ଯାହାର ଫଳରେ ସହରର ଟ୍ରାଫିକ୍ ସମସ୍ୟାରେ ବଡ ପରିମାଣରେ ସୁଧାର ଆସିବ।”ସହରର ମୁଖ୍ୟ ଟାଉନ ଅଞ୍ଚଳରେ ପ୍ରତିଦିନ ସକାଳ-ସନ୍ଧ୍ୟାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ବରଗଡ଼ ନିବାସୀ, ଯାତ୍ରୀ ଏବଂ ବ୍ୟବସାୟୀ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ସ୍ବର ଉଠୁଥିଲା। ବହୁ ବର୍ଷ ଧରି ସହରବାସୀ ଏକ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି କରିଆସୁଥିଲେ। ଶେଷରେ ଏହି ପ୍ରକଳ୍ପ ର ଶିଳାନ୍ୟାସ ହେବାରୁ ଜନ ସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ପ୍ରବାହିତ ହେଉଛି।
ବିଧାୟକ ଷଡଙ୍ଗୀ ଆଶ୍ବାସନା ଦେଇଥିଲେ ଯେ ନିର୍ମାଣ କାର୍ଯ୍ୟକୁ ଅତିଶୀଘ୍ର ଆରମ୍ଭ କରାଯିବ ଏବଂ ନିର୍ଦ୍ଧାରିତ ସମୟଭିତରେ ସମ୍ପୂର୍ଣ୍ଣ କରାଯିବ। ସେ କହିଥିଲେ, “ଏହି ପ୍ରକଳ୍ପ ସହରର ଯାନଚଳାଚଳକୁ ସୁବିଧାଜନକ କରିବା ସହିତ, ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶ ଆଣିବ। ସହରବାସୀମାନେ ଏହାକୁ ‘ଗେମ୍ ଚେଞ୍ଜର’ ବୋଲି କହୁଛନ୍ତି। ବ୍ୟବସାୟୀମାନଙ୍କ ମତାନୁସାରେ ଦିନକୁଦିନ ବଢ଼ୁଥିବା ଟ୍ରାଫିକ୍ ସମସ୍ୟାରୁ ବାଣିଜ୍ୟିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ଏବେ ଫ୍ଲାଇଓଭର ନିର୍ମାଣ ହେଲେ ସେଥିରେ ବଡ ସୁବିଧା ହେବ। 26 କୋଟି ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ଏହି 700 ମିଟର ଲମ୍ବା ଫ୍ଲାଇଓଭର କେବଳ ଟ୍ରାଫିକ୍ ସମସ୍ୟାକୁ ସମାଧାନ କରିବ ତାହା ନୁହେଁ, ସହରର ସୌନ୍ଦର୍ଯ୍ୟକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିବ।
Reported By- Sushanta Sahu
No comments:
Post a Comment