ଚାଷୀଙ୍କର ଧାନ ପଞ୍ଜିକରଣ ଆନ୍ଦୋଳନ: ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟରେ ଧାରଣା - Talpadar TV

Breaking

Home Top Ad

Post Top Ad

Tuesday, September 2, 2025

ଚାଷୀଙ୍କର ଧାନ ପଞ୍ଜିକରଣ ଆନ୍ଦୋଳନ: ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟରେ ଧାରଣା




ସଂଯୁକ୍ତ କୃଷକ ସଂଗଠନର ଚାଷୀମାନେ ନୂତନ ଧାନ ପଞ୍ଜିକରଣ ସମସ୍ୟା ନିମିତ୍ତ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଆନ୍ଦୋଳନ କରିଥିଲେ। ଜିଲ୍ଲାରେ ହଜାର ହଜାର ପ୍ରକୃତ ଚାଷୀ ଧାନ କାର୍ଡ ପ୍ରାପ୍ତିରୁ ବଞ୍ଚିତ ହୋଇଥିବା ଯୋଗୁଁ ସଂଗଠନ ତରଫରୁ ଏହି ପଦକ୍ଷେପ ନିଆଯାଇଥିଲା। ଗତ 26 ତାରିଖରେ, ସଂଗଠନ ପକ୍ଷରୁ ପ୍ରଥମେ ଜିଲ୍ଲାପାଳ, ତାପରେ ଅତାବିରା ବିଧାୟକ ନିହାର ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଢଙ୍ଗୀ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହୋଇଥିଲା ଯେ, କୌଣସି ପ୍ରକୃତ ଚାଷୀ ପଞ୍ଜିକରଣରୁ ବାଦ ପଡିବେ ନାହିଁ। ଜିଲ୍ଲାପାଳମାନେ ଯେଉଁ ରିପୋର୍ଟ ପ୍ରଦାନ କରିବେ, ସେହି ଆଧାରରେ ପଞ୍ଜିକରଣ ସମୟସୀମା ବଢିବ ଏବଂ ପଞ୍ଜିକରଣ ହୋଇପାରିବ। ଦୁଇଦିନ ପରେ, ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ ଚାଷୀଙ୍କ ପଞ୍ଜିକରଣ ନିଶ୍ଚିତ କରିବାରେ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ତଥାପି, ସାତ ଦିନ ବିତିଯାଇଥିବା ସତ୍ତ୍ୱେ କୌଣସି ପଞ୍ଜିକରଣ ଆରମ୍ଭ ହୋଇନଥିବାରୁ, ବଞ୍ଚିତ ଚାଷୀମାନେ ଆଜି ସକାଳୁ ଉପନିବନ୍ଧକ କାର୍ଯ୍ୟାଳୟକୁ ଆସି ପଞ୍ଜିକରଣ ସମ୍ପର୍କରେ ପଚାରିଲେ। କିନ୍ତୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ, ସେମାନେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ବାହାର କରି, ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଦୀର୍ଘ 3 ଘଣ୍ଟା ପରେ, DRCS ଯୁଗଳ ଦାସ ଆସି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ ଓ ଯେଉଁମାନେ 25 ତାରିଖ ପର୍ଯ୍ୟନ୍ତ ସୋସାଇଟିରେ ନିଜର କାଗଜପତ୍ର ଦେଇଥିଲେ, ସେମାନେ ନିଶ୍ଚିତ ଭାବରେ ପଞ୍ଜିକରଣ କରିପାରିବେ ବୋଲି କହିଥିଲେ ଫଳରେ ତାଲା ଖୋଲି ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। ସଂଗଠନ ପକ୍ଷରୁ ଆଲୋଚନା ମୁତାବକ, ଯଦି ଆସନ୍ତା ଗୁରୁବାର ଦିନ ପଞ୍ଜିକରଣ ଆରମ୍ଭ ନ ହୁଏ, ତେବେ ପୁଣି ଆନ୍ଦୋଳନ ଆରମ୍ଭ କରିବାକୁ ଚେତାବନୀ ଜାରି କରାଯାଇଛି। ଏହି କାର୍ଯ୍ୟକ୍ରମରେ ରମେଶ ମହାପାତ୍ର, ସୁଦାମ ପାତ୍ର, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ସୁରେଶ କର୍ଣ୍ଣ, ରବିଶଙ୍କର ପଧାନ, କାରଣ ସାହୁ, ଈଶାନ୍ତ ଭୋଇ, ମନୋଜ ଖମାରୀ, କୋଶଲ ସେନା ଓ ବୀରବଳ ମହାକୁଡ଼ ସହ ଅନେକ ଗ୍ରାମରୁ ଶହଶହ ଚାଷୀ ଯୋଗ ଦେଇଥିଲେ। 

Report- Sushanta Sahu

Talpadar TV


No comments:

Post a Comment

Post Bottom Ad

Pages