ବରଗଡ଼: ଶିକ୍ଷକମାନେ ସମାଜର ପ୍ରକାଶସ୍ତମ୍ଭ। ତାଙ୍କର ଶିକ୍ଷା, ନିଷ୍ଠା ଓ ପରିଶ୍ରମରେ ନୂଆ ପିଢ଼ି ସୁଶିକ୍ଷିତ, ସଂସ୍କାରୀ ଓ ସମାଜୋପଯୋଗୀ ହୋଇଥାଏ। ଏହି କାରଣରୁ ରାଜ୍ୟ ସରକାର ପ୍ରତିବର୍ଷ ଗୁରୁଦିବସ ଅବସରରେ ଶ୍ରେଷ୍ଠ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦେଇ ସମ୍ମାନିତ କରିଥାନ୍ତି। ଏହିବର୍ଷ ଏହି ସମ୍ମାନ ପାଇଛନ୍ତି ପାଣିମୋରା ହାଇସ୍କୁଲର କଳା ଶିକ୍ଷୟିତ୍ରୀ ରୀତା ପ୍ରଧାନ। ସେ ରାଜ୍ୟର ଶ୍ରେଷ୍ଠ ୧୦ଜଣ ଶିକ୍ଷକ ମଧ୍ୟରେ ସ୍ଥାନ ପାଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତରୁ ପୁରସ୍କାର ଗ୍ରହଣ କରିଛନ୍ତି।
ପୁରସ୍କାର ସମାରୋହର ଗରିମା
ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିକ୍ଷା ସଚିବ ଶଲିନୀ ପଣ୍ଡିତ ଓ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଗରିମାମୟ ମଞ୍ଚରେ ପାଣିମୋରା ହାଇସ୍କୁଲର ନାମ ଉଜ୍ଜ୍ୱଳ କରିବା ସହିତ ରୀତା ପ୍ରଧାନ ସମ୍ପୂର୍ଣ୍ଣ ସମାଜ ପାଇଁ ଗର୍ବ ହୋଇଯାଇଛନ୍ତି I
ନୂତନ ଶିକ୍ଷା ପ୍ରଣାଳୀ
ରୀତା ପ୍ରଧାନଙ୍କ ଶିକ୍ଷା ପ୍ରଣାଳୀ ସୃଜନଶୀଳ ଓ ପ୍ରାୟୋଗିକ। ସେ ଇଂରାଜୀ ବିଷୟକୁ କଳା, ସାହିତ୍ୟ ଓ ସଂସ୍କୃତି ସହିତ ଏକତ୍ର କରି, ଛାତ୍ରଛାତ୍ରୀଙ୍କୁ ସହଜ ଭାବରେ ଜ୍ଞାନ ଦେଇଥାନ୍ତି। ଶିକ୍ଷାକୁ କେବଳ ପାଠ୍ୟପୁସ୍ତକରେ ସୀମିତ ନକରି, ପ୍ରାୟୋଗିକ କାର୍ଯ୍ୟରେ ସମ୍ମିଳିତ କରନ୍ତି। କଳା ଓ ସାହିତ୍ୟକୁ ଶିକ୍ଷାଦାନ ରେ ଅନ୍ତର୍ଭୁକ୍ତ କରି, ଛାତ୍ରଛାତ୍ରୀଙ୍କୁ ଅଧିକ ସମ୍ପୃକ୍ତ କରନ୍ତି। ଶିକ୍ଷାଦାନ ରେ ମନୋରଞ୍ଜନ ସହ ଶିକ୍ଷାର୍ଥୀ ମାନଙ୍କ ଭୟ କୁ ଦୂର କରନ୍ତି I
ସାଧାରଣ ପରିବାରରୁ ଆଦର୍ଶ ଶିକ୍ଷୟିତ୍ରୀ
ରୀତା ପ୍ରଧାନ ବରଗାଁ ଗ୍ରାମର ବଙ୍ଗାଳୀ ପ୍ରଧାନ ଓ ସ୍ୱର୍ଗତ ସବିତା ପ୍ରଧାନଙ୍କ କନ୍ୟା। ବିବାହ ପରେ ସେ ଚିଚିଣ୍ଡା ଗ୍ରାମର ଡୋଳାମଣି ପ୍ରଧାନ ଓ ସ୍ୱର୍ଗତ ମିଥିଳା ପ୍ରଧାନଙ୍କ ପରିବାରରେ ବହୂ ରୂପେ ଯୋଗ ଦେଲେ। ସାଧାରଣ ପୃଷ୍ଠଭୂମି ସତ୍ତେ, ସେ ପରିଶ୍ରମ, ନିଷ୍ଠା ଓ ସମର୍ପଣରେ ଏକ ସଫଳ ଶିକ୍ଷୟିତ୍ରୀରେ ପରିଣତ ହୋଇଛନ୍ତି।
ଦୀର୍ଘଦିନର ସମର୍ପଣ
ଦୁଇ ଦଶକ ଧରି ସେ ଶିକ୍ଷକତାକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେ କେବଳ ଶିକ୍ଷକତା କୁ ପେଶା ନୁହେଁ ନିଶା ଭାବରେ ଗ୍ରହଣ କରିଛନ୍ତି I ସେ କେବଳ ପାଠ୍ୟଦାନରେ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଢ଼ା ଓ ସାମାଜିକ ମୂଲ୍ୟବୋଧ ବୁଝାଇବାରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। ସହଜ, ସ୍ନେହଭରା ଓ ପ୍ରେରଣାଦାୟକ ଶିକ୍ଷଣ ପ୍ରଣାଳୀରେ ଛାତ୍ରଛାତ୍ରୀମାନେ ତାଙ୍କୁ Role Model ଭାବରେ ଦେଖନ୍ତି।
ସମାଜର ଗର୍ବ
ଏହି ସଫଳତା କେବଳ ରୀତା ପ୍ରଧାନଙ୍କ ପାଇଁ ବ୍ୟକ୍ତିଗତ ସମ୍ମାନ ନୁହେଁ; ଏହା ପାଣିମୋରା ହାଇସ୍କୁଲ ଓ ସମଗ୍ର ବରଗଡ଼ ଅଞ୍ଚଳର ପାଇଁ ଗୌରବର ବିଷୟ। ସ୍ଥାନୀୟ ଲୋକ, ସହକର୍ମୀ ଓ ଛାତ୍ରଛାତ୍ରୀମାନେ ତାଙ୍କର ସମର୍ପଣକୁ ଅଭିନନ୍ଦନ ଜଣାଇ, ଏହି ପୁରସ୍କାରକୁ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି।
Reported By- Sushanta Sahu
Talpadar TV
No comments:
Post a Comment