ଭେଡେନ ବ୍ଲକରେ ରେଶମ ପଞ୍ଚାୟତ ଅଧୀନସ୍ଥ ଇଛାପଦର ଏବଂ ନନ୍ଦିନୀପୁର ଗ୍ରାମରେ ନୂତନ ଭାବେ ନିର୍ମାଣା ଚାଲୁଥିବା ଦେଶୀ ମଦଭାଟି ବ୍ରାଞ୍ଚ ନେଇ ଅଂଚଳରେ ତୀବ୍ର ପ୍ରତିବାଦ ସୃଷ୍ଟି ହୋଇଛି। ଶହଶହ ମହିଳା–ପୁରୁଷ ଶନିବାର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଭେଟି, ଦାବିପତ୍ର ଦେଇ ମଦ ଭାଟି ସ୍ଥାପନା ତୁରନ୍ତ ବନ୍ଦ କରିବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ଗ୍ରାମବାସୀଙ୍କ ଯୁକ୍ତି ଯେ ଯେଉଁ ସ୍ଥାନରେ ମଦ ଭାଟି ଖୋଲାଯାଉଛି, ତାର ପାଖରେ ସରକାରୀ ସ୍କୁଲ, ମନ୍ଦିର ଏବଂ ମୁଖ୍ୟ ସଡକ ଅଛି। ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକ ଏହି ପଥରେ ଯାତାୟାତ କରନ୍ତି। ଏପରି ପରିସ୍ଥିତିରେ ମଦ ଭାଟି ଖୋଲାଗଲେ ଅସାମାଜିକ କାର୍ଯ୍ୟ, ମଦ୍ୟପାନଜନିତ ହିଂସା ଏବଂ ଗ୍ରାମ ସମାଜର ସ୍ୱାସ୍ଥ୍ୟ, ଶିକ୍ଷା ଓ ଅର୍ଥନୀତିରେ କୁପ୍ରଭାବ ପଡିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ପ୍ରତିବାଦୀ ମହିଳାମାନେ ପ୍ରଶ୍ନ କରିଛନ୍ତି, “ଗୋଟିଏ ପଟେ ସରକାର ସ୍କୁଲ-କଲେଜ ଓ ଗ୍ରାମରେ ନିଶାବିରୋଧୀ ଅଭିଯାନ ଚଳାଉଛନ୍ତି, ଅନ୍ୟପଟେ ମଦ ଭାଟି ଖୋଲି ଅଂଚଳର ଯୁବକ ମାନଙ୍କୁ ନିଶାସକ୍ତ କରିବା ସହ ଶହ ଶହ ପରିବାର କୁ ବର୍ବାଦ କରି ନିଶା କାରାବାର କୁ ପ୍ରୋତ୍ସାହିତ କରୁଛନ୍ତି ? ସମ୍ପର୍କିତ ଦାବିପତ୍ରଟି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଉତ୍ତମ ବାଗ, ଅବକାରୀ ସୁପରିଣ୍ଡେଣ୍ଟ ସୁବର୍ଣ୍ଣ ନାୟକ ଏବଂ ତହସିଲଦାର ଭେଡେନଙ୍କୁ ସମର୍ପିତ କାରାଯାଇଛି। ପ୍ରତିବାଦୀମାନେ ଚେତାବନୀ ଦେଇଛନ୍ତି, ଯଦି ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ ନହୁଏ, ଆମେ ନିଜେ ମଦ ଭାଟି ଭାଙ୍ଗିବାକୁ ବାଧ୍ୟ ହେବୁ। ଏହି ଆନ୍ଦୋଳନରେ ଗ୍ରାମର ମହିଳାମାନଙ୍କ ମଧ୍ୟରୁ ଲଳିତା ପଧାନ, ସୁରେନ୍ଦ୍ରୀ ପଧାନ, ଲଳିତା ଭୋଇ ପ୍ରମୁଖ ଭୂମିକା ନେଇଥିଲେ। ସେହିପରି ପୁରୁଷମାନଙ୍କ ମଧ୍ୟରୁ ସୁନୀଲ ବାରିକ, ଅର୍ଜୁନ ଭୁଏ, ସୀତାରାମ ପଧାନ, ଝସକେତନ ପଧାନଙ୍କ ସହ କୃଷକ ସଂଗଠନର ସୁଦାମ ପାତ୍ର, ବିକାଶ ମାଝୀ, ସୁରେଶ ନିକେଣ୍ଟି, ରମେଶ ମହାପାତ୍ର ନେତୃତ୍ୱ ଦେଇଥିଲେ। ଗ୍ରାମବାସୀଙ୍କ ଏହି ସଂଗଠିତ ଆନ୍ଦୋଳନରେ ଶହଶହ ମହିଳା ଓ ପୁରୁଷ ଯୋଗଦେଇ ମଦ ଭାଟି ବିରୋଧରେ ଏକତା ପ୍ରଦର୍ଶନ କରିଥିଲେ।
Reported By- Sushanta Sahu
No comments:
Post a Comment