ସୁଭଦ୍ରା ଯୋଜନା କୁ ନେଇ ଖୁସି ଖବର ll ତୃତୀୟ କିସ୍ତି ବଣ୍ଟନ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ - Talpadar TV

Breaking

Home Top Ad

Post Top Ad

Monday, August 11, 2025

ସୁଭଦ୍ରା ଯୋଜନା କୁ ନେଇ ଖୁସି ଖବର ll ତୃତୀୟ କିସ୍ତି ବଣ୍ଟନ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

 


ବରଗଡ଼ : ମହିଳା ସଶକ୍ତିକରଣ ପାଇଁ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା ଯୋଜନା’ର ତୃତୀୟ କିସ୍ତି ବଣ୍ଟନ ଅବସରରେ କୋରାପୁଟ ଜିଲ୍ଲାର ଜୟପୁରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ୧ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତିଜଣଙ୍କୁ ₹୫,୦୦୦ କରି ସହାୟତା ରାଶି ପ୍ରେରଣ କରିଛନ୍ତି।ଏହି ଅବସରରେ ସ୍ଥାନୀୟ ଯଦୁମଣି ଓଡିଟୋରିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ‘ସୁଭଦ୍ରା’ ହିତାଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ, ମୋହନ ସରକାର ଦେଇଥିବା ପ୍ରତିଶ୍ରୁତି ସମୁହକୁ ପୂରଣ କରୁଛି। ‘ସୁଭଦ୍ରା ଯୋଜନା’ ମହିଳାଙ୍କ ଆଶାର କିରଣରୂପେ ତାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ଆଣିଛି, ପରିବାରକୁ ଆର୍ଥିକ ଶକ୍ତି ଦେଇ ସେମାନଙ୍କୁ ଉଦ୍ୟମୀ ମହିଳା ଭାବେ ଗଠନ କରୁଛି। ସରକାର ଆସିବାର ପ୍ରାୟ ଏକ ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣକୁ ନୂତନ ଦିଗନ୍ତ ଦେବା ପାଇଁ ‘ଲକ୍ଷପତି ଦିଦି’ ପରି ଯୋଜନା ଆରମ୍ଭ କରିଛନ୍ତି।ସୁଭଦ୍ରା ମାଧ୍ୟମରେ କେବଳ ଆର୍ଥିକ ସ୍ୱାଧୀନତା ନୁହେଁ, ବରଂ ଶିକ୍ଷା, ଦକ୍ଷତା ଓ ରୋଜଗାର ସୁଯୋଗରେ ଥିବା ବ୍ୟବଧାନକୁ ମଧ୍ୟ ଦୂର କରାଯାଉଛି। ଏହି ସହାୟତାକୁ ପୁଞ୍ଜି ଭାବେ ବ୍ୟବହାର କରି ରାଜ୍ୟର ଲକ୍ଷଲକ୍ଷ ମା’ ଓ ଭଉଣୀମାନେ ଛୋଟ ବଡ଼ ବ୍ୟବସାୟ ଆରମ୍ଭ କରି ନିଜ ପରିବାରର ଆର୍ଥିକ ସ୍ଥିତିକୁ ପରିବର୍ତ୍ତନ କରିପାରିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଏବଂ ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁଭଦ୍ରା ଯୋଜନାର ସଫଳତା ଓ ଏହା କିପରି ଆର୍ଥିକ ଅଭାବରେ ନିଜ ସ୍ୱପ୍ନ ଛାଡ଼ିଦେବାକୁ ବାଧ୍ୟ ମହିଳାଙ୍କ ପାଇଁ ଆଶାର ଆଲୋକ ହୋଇଛି, ସେଥିପାଇଁ ଅଭିଭାଷଣ ରଖିଥିଲେ।ସରକାରଙ୍କ ଲକ୍ଷ୍ୟ ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା ଓ ଆତ୍ମନିର୍ଭର ଭାରତ ଗଢ଼ିବାରେ ସାମିଲ କରାଇବା। ଏହି ଯୋଜନାରୁ ପ୍ରେରଣା ପାଇ ଅନେକ ମା ମାନେ ଛୋଟ ବଡ଼ ବ୍ୟବସାୟ ଆରମ୍ଭ କରିଛନ୍ତି, କିଛି ଅଧିକ ପୁଞ୍ଜି ବିନିଯୋଗ କରି ନିଜ କ୍ଷୁଦ୍ର ବ୍ୟବସାୟକୁ ବୃଦ୍ଧି କରିଛନ୍ତି।କାର୍ଯ୍ୟକ୍ରମ ଆରମ୍ଭରେ ‘ସୁଭଦ୍ରା’ ଭଉଣୀମାନେ ମନ୍ତ୍ରୀ ଓ ସମସ୍ତ ବିଧାୟକଙ୍କୁ ସୁଭଦ୍ରା ରାକ୍ଷୀ ବାନ୍ଧି ଅନୁଷ୍ଠାନର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ‘ସୁଭଦ୍ରା ଯୋଜନା’ ଆଧାରିତ ପ୍ରବନ୍ଧ ଲେଖନ, ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତାରେ ୩୨ ଜଣ କୃତି ଛାତ୍ରଛାତ୍ରୀ ଏବଂ ବିଷୟଭିତ୍ତିକ ସାଂସ୍କୃତିକ ବିଚିତ୍ରାରେ ଭାଗନେଇଥିବା କୁନି କଳାକାରଙ୍କୁ ମନ୍ତ୍ରୀ ପୁରସ୍କାର ବଣ୍ଟନ କରିଥିଲେ। ଆଭାସୀ ମାଧ୍ୟମରେ ସମସ୍ତଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହିତ ଯୋଡ଼ାଯାଇଥିଲା। ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସର୍ବମୋଟ ୩,୫୯,୯୧୨ ଜଣ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ‘ସୁଭଦ୍ରା’ ଟଙ୍କା ପହଞ୍ଚିଛି। ସେଥିରୁ

  • ଅମ୍ବାଭୋନା ବ୍ଲକ : ୧୬,୮୮୦ ଜଣ

  • ଅତାବିରା ବ୍ଲକ : ୩୩,୧୮୧ ଜଣ

  • ବରଗଡ଼ ବ୍ଲକ : ୩୯,୬୯୨ ଜଣ

  • ବରପାଲି : ୨୬,୭୮୬ ଜଣ

  • ଭଟଲି : ୨୩,୬୩୫ ଜଣ

  • ଭେଡେନ : ୩୧,୩୬୫ ଜଣ

  • ବିଜେପୁର : ୨୪,୭୪୮ ଜଣ

  • ଗାଇସିଲେଟ : ୨୨,୫୮୯ ଜଣ

  • ଝାରବନ୍ଧ : ୧୮,୯୫୩ ଜଣ

  • ପଦମପୁର : ୨୯,୦୬୩ ଜଣ

  • ପାଇକମାଲ : ୨୯,୦୦୬ ଜଣ

  • ସୋହେଲା : ୩୫,୪୪୯ ଜଣ

  • ଅତାବିରା ଏନଏସି : ୩,୪୫୪ ଜଣ

  • ବରପାଲି ଏନଏସି : ୪,୪୯୫ ଜଣ

  • ବରଗଡ଼ ପୌରାଞ୍ଚଳ : ୧୪,୮୦୫ ଜଣ

  • ବିଜେପୁର ଏନଏସି : ୨,୫୫୧ ଜଣ

  • ପଦମପୁର ଏନଏସି : ୩,୨୬୧ ଜଣ।


କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସ୍ୱାଗତ ଭାଷଣ ଦେଇଥିଲେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମଂଚାସୀନ ଥିଲେ। ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ ଧନ୍ୟବାଦ ଜଣାଇଥିଲେ।

No comments:

Post a Comment

Post Bottom Ad

Pages