ଗନ୍ଧମାର୍ଦ୍ଦନକୁ ଆସିବେ ରାଷ୍ଟ୍ରପତି?
ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ଏକ ଅସାମାନ୍ୟ ଦୃଶ୍ୟ I ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ, ହୃଦୟରେ ଗାଁର ପର୍ବତ–ଗନ୍ଧମାର୍ଦ୍ଦନ–ର ସୁଗନ୍ଧ ନେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ I
ଗନ୍ଧମାର୍ଦନ ଆସିବା ପାଇଁ ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ ନିମନ୍ତ୍ରଣ ଜଣାଇ କହିଲେ -
“ମହାମହିମ, ଗନ୍ଧମାର୍ଦ୍ଦନର ମାଟିକୁ ଆପଣଙ୍କ ପଦଚିହ୍ନ ସ୍ପର୍ଶ କରୁ,
ନୃସିଂହନାଥଙ୍କ ପବିତ୍ର ମନ୍ଦିରରେ ଆପଣଙ୍କ ଆଗମନ ହେଉ”
ସାକ୍ଷାତ ସମୟରେ ସାଂସଦ ଶ୍ରୀମାନ ପୁରୋହିତ ରାଷ୍ଟ୍ରପତିଙ୍କୁ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଐତିହାସିକ ପ୍ରଷ୍ଠଭୂମି ବିଷୟରେ ମହାମହିମ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । ସେ କହିଥିଲେ, ୧୯୮୦ ଦଶକରେ ବାଲକୋ କମ୍ପାନୀଙ୍କର ଖଣି କାର୍ଯ୍ୟ ବିରୋଧରେ ହୋଇଥିବା ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଦେଶରେ ଚିପ୍କୋ ଓ ସାଇଲେଣ୍ଟ ଭାଲି ଆନ୍ଦୋଳନ ପରେ ତୃତୀୟ ବଡ଼ ପରିବେଶ ଜନିତ ଆନ୍ଦୋଳନ ରୂପେ ପରିଚିତ। ସେଥିରେ ୫୦ ହଜାରରୁ ଅଧିକ ଆଦିବାସୀ, ସାଧୁ-ସନ୍ତ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ ଏହା ଫଳରେ ଏହି ଆନ୍ଦୋଳନ ମହାନ ରୂପ ଧାରଣା କରିଥିଲା । ଏହି ଆନ୍ଦୋଳନରେ ସାଂସଦ ପୁରୋହିତ ନିଜେ ନେତୃତ୍ୱ ନେଇଥିଲେ ।ଗନ୍ଧମାର୍ଦ୍ଦନର ପରିବେଶ, ପବିତ୍ରତା ଓ ଆଦିବାସୀମାନଙ୍କ ଜୀବନ-ଜୀବିକା ସୁରକ୍ଷିତ ହେବାରେ ଏହି ଆନ୍ଦୋଳନ ମୁଖ୍ୟ ଭୂମିକା ନେଇଥିଲା ।
ଆଜିର ଗନ୍ଧମାର୍ଦ୍ଦନ:
ଆଜି ମଧ୍ୟ ଗନ୍ଧମାର୍ଦ୍ଦନ ପର୍ବତ ଅଂଚଳରେ ପାଖପାଖି ୫୦ ହଜାରରୁ ଅଧିକ ଆଦିବାସୀ ପରିବାର ବସବାସ କରୁଛନ୍ତି ।ସେମାନଙ୍କର ପେଟ-ପାଟଣା ପୁରାପୁରି ଜଙ୍ଗଲ, ଔଷଧୀୟ ଉଦ୍ଭିଦ, ମହୁ, ଓ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ । ପର୍ବତ, ମାଟି, ନଦୀ ଓ ଜଙ୍ଗଲ ସହ ସେମାନଙ୍କର ଆଦିମ ସମ୍ବନ୍ଧ—ଧାର୍ମିକ, ସାମାଜିକ ଓ ଆର୍ଥିକ ପ୍ରତ୍ୟକ କ୍ଷେତ୍ରରେ । ଏଠାରେ ଥିବା ନୃସିଂହନାଥ ମନ୍ଦିର ଚାରିଆଡେ ନିଜର ବିଶେଷ ପରିଚୟ ସୃଷ୍ଟି କରିଛି । ଏଠି ନିଜେ ଭଗବାନ ନୃସିଂହ ମାର୍ଜାର-କେଶରୀ ରୂପରେ ବିଦ୍ୟମାନ ବୋଲି କୁହାଯାଏ । କିନ୍ତୁ ଦୁଃଖର ବିଷୟ ହେଲା, ସ୍ବାଧୀନତା ର ୭୦+ ବର୍ଷ ପରେ ମଧ୍ୟ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏହାର ସ୍ଥାନ ଅତ୍ୟନ୍ତ ନଗଣ୍ୟ ରହିଛି । ଯଦି ନୃସିଂହନାଥ ମନ୍ଦିରର ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଅଣାଯାଏ, ତେବେ ଏହି ଅଞ୍ଚଳରେ ବସୁଥିବା ଆଦିମ ଆଦିବାସୀମାନଙ୍କ ଜୀବନ-ଜୀବିକା ଓ ଆର୍ଥିକ ଦିଗରେ ବିକାଶ ସମ୍ଭବ ହୋଇପାରିବ ।
ଏହି କାରଣରୁ, ସାଂସଦ ପ୍ରଦୀପ ପୁରୋହିତ ମହାମହିମ ରାଷ୍ଟ୍ରପତିଙ୍କୁ ଗନ୍ଧମାର୍ଦ୍ଦନ ପରିଦର୍ଶନ ପାଇଁ ବିଶେଷ ନିମନ୍ତ୍ରଣ ଦେଇଥିଲେ । ଏହି ସମୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସହମତି ପ୍ରକାଶ କରି, “ନିଶ୍ଚୟ ଗନ୍ଧମାର୍ଦ୍ଦନକୁ ଯିବି” ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଷ୍ଟ୍ରପତିଙ୍କୁ ସହ ସାକ୍ଷାତକାର ସମୟରେ ସାଂସଦ ପ୍ରଦୀପ ପୁରୋହିତଙ୍କ ସହ ତାଙ୍କ ଧର୍ମପତ୍ନୀ ପ୍ରତିମା ପୁରୋହିତ, ଦ୍ବାରିକା ପ୍ରସାଦ ପଣ୍ଡା ଓ ଅନ୍ନପୂର୍ଣ୍ଣା ପଣ୍ଡା ଉପସ୍ଥିତ ରହିଥିଲେ ।
ରିପୋର୍ଟ - ସୁଶାନ୍ତ ସାହୁ
ତାଳପଦର ଟିଭି
No comments:
Post a Comment